ଭାରତୀୟ ରପ୍ତାନି ଉପରେ ୟୁରୋପୀୟ ସଂଘର ଚଡ଼କ: ୮୭% ସାମଗ୍ରୀ ଉପରେ ଲାଗିବ ଅଧିକ ଟିକସ
ଭୁବନେଶ୍ବର- ଭାରତୀୟ ରପ୍ତାନିକାରୀଙ୍କ ପାଇଁ ୨୦୨୬ ବର୍ଷଟି ବଡ଼ ଚ୍ୟାଲେଞ୍ଜ ନେଇ ଆସିଛି। ୟୁରୋପୀୟ ସଂଘ (EU) ପକ୍ଷରୁ ଭାରତକୁ ମିଳୁଥିବା ଜେନେରାଲାଇଜଡ୍ ସ୍କିମ୍ ଅଫ୍ ପ୍ରିଫରେନ୍ସେସ୍ (GSP) ସୁବିଧାକୁ ଆଗାମୀ ଦୁଇ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ୧ ଜାନୁଆରୀ ୨୦୨୬ରୁ ଭାରତରୁ ୟୁରୋପକୁ ରପ୍ତାନି ହେଉଥିବା ପ୍ରାୟ ୮୭ ପ୍ରତିଶତ ସାମଗ୍ରୀ ଉପରେ ଏବେ ଅଧିକ ଟ୍ୟାରିଫ୍ ବା ଶୁଳ୍କ ଦେବାକୁ ପଡ଼ିବ।
କାର୍ବନ ଟ୍ୟାକ୍ସ ସହ ବଢ଼ିଲା ଦ୍ୱିଗୁଣା ଚିନ୍ତା
ୟୁରୋପୀୟ ସଂଘ ପୂର୍ବରୁ ହିଁ କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ (CBAM) ବା କାର୍ବନ ଟ୍ୟାକ୍ସ ଲାଗୁ କରିସାରିଛି। ଏବେ GSP ସୁବିଧା ପ୍ରତ୍ୟାହାର ହେବା ଫଳରେ ଭାରତୀୟ ରପ୍ତାନିକାରୀଙ୍କ ଉପରେ ଦୋହରା ଚାପ ପଡ଼ିଛି। ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ଅନୁସାରେ, ପୂର୍ବରୁ GSP ଅଧୀନରେ ଭାରତୀୟ ପୋଷାକ ଓ ଶିଳ୍ପ ସାମଗ୍ରୀ ଉପରେ ହାରାହାରି ୨୦% ରିହାତି (Margin of Preference) ମିଳୁଥିଲା। ଏବେ ରପ୍ତାନିକାରୀଙ୍କୁ ପୂରା MFN (Most Favored Nation) ଶୁଳ୍କ ଦେବାକୁ ପଡ଼ିବ। ଉଦାହରଣ ସ୍ୱରୂପ, ଯଦି କୌଣସି କପଡ଼ା ଉପରେ ପୂର୍ବରୁ ୯.୬% ଟିକସ ଲାଗୁଥିଲା, ତାହା ଏବେ ବଢ଼ି ୧୨% ହୋଇଯିବ।
ପ୍ରତିଦ୍ୱନ୍ଦ୍ୱିତା ଶକ୍ତି ହ୍ରାସ ପାଇବା ଆଶଙ୍କା
ଏହି ନିଷ୍ପତ୍ତି ଫଳରେ ଭାରତର ମୂଲ୍ୟ ପ୍ରତିଦ୍ୱନ୍ଦ୍ୱିତା (Price Competitiveness) ହ୍ରାସ ପାଇବ। ବାଂଲାଦେଶ ଏବଂ ଭିଏତନାମ ଭଳି ଦେଶଗୁଡ଼ିକ ଏବେ ମଧ୍ୟ ଶୁଳ୍କମୁକ୍ତ ସୁବିଧା ପାଉଥିବାରୁ, ୟୁରୋପୀୟ କ୍ରେତାମାନେ ଭାରତ ବଦଳରେ ସେହି ଦେଶଗୁଡ଼ିକ ଆଡ଼କୁ ମୁହାଁଇ ପାରନ୍ତି।
କେଉଁ ସବୁ ସାମଗ୍ରୀ ପ୍ରଭାବିତ ହେବ ?
EU ର ଏହି କଟକଣା ମଧ୍ୟରେ ଟେକ୍ସଟାଇଲ୍, ରସାୟନ, ପ୍ଲାଷ୍ଟିକ୍, ରବର, ଲୁହା-ଇସ୍ପାତ, ମେସିନାରୀ, ଇଲେକ୍ଟ୍ରିକାଲ୍ ଉପକରଣ, ମୋଟର ଯାନ ଏବଂ ବିମାନ ଉପକରଣ ଭଳି ପ୍ରମୁଖ ସାମଗ୍ରୀ ସାମିଲ ଅଛି। ଅନ୍ୟପକ୍ଷରେ, କୃଷିଜାତ ଦ୍ରବ୍ୟ, ଚମଡ଼ା ସାମଗ୍ରୀ ଏବଂ ହସ୍ତଶିଳ୍ପ ଭଳି ମାତ୍ର ୧୩% ସାମଗ୍ରୀ ଉପରେ GSP ସୁବିଧା ଜାରି ରହିବ।
FTA ଉପରେ ନଜର
ଆସନ୍ତା ସପ୍ତାହରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଯଦିଓ ଏହି ଚୁକ୍ତି ଲାଗୁ ହେବାକୁ ବର୍ଷେ କିମ୍ବା ଅଧିକ ସମୟ ଲାଗିପାରେ, ତଥାପି ଏହା ଦୀର୍ଘକାଳୀନ ଭାବେ ଭାରତୀୟ ବାଣିଜ୍ୟ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।
କ’ଣ ଏହି GSP ?
GSP ହେଉଛି ୟୁରୋପୀୟ ସଂଘର ଏକ ବ୍ୟବସ୍ଥା ଯେଉଁଥିରେ ବିକାଶଶୀଳ ଦେଶଗୁଡ଼ିକୁ କମ୍ ଟିକସରେ ରପ୍ତାନି ସୁବିଧା ମିଳେ। ଯଦି କୌଣସି ସାମଗ୍ରୀର ରପ୍ତାନି ଲଗାତାର ୩ ବର୍ଷ ଧରି ନିର୍ଦ୍ଧାରିତ ସୀମା ଅତିକ୍ରମ କରେ, ତେବେ ୟୁରୋପୀୟ ସଂଘ ଏହି ସୁବିଧା ପ୍ରତ୍ୟାହାର କରିନିଏ।