ଆର୍ଟେମିସ୍-୨ ଉତକ୍ଷେପଣ: ୫୦ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ନାସାର ଉଡ଼ାଣ
ଭୁବନେଶ୍ବର: ମହାକାଶ ବିଜ୍ଞାନ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଆରମ୍ଭ ହୋଇଛି ‘ଆର୍ଟେମିସ୍-୨’ ଅଭିଯାନ । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ପରେ ପୁଣି ଥରେ ମଣିଷ ଚନ୍ଦ୍ର ନିକଟକୁ ଯାତ୍ରା କରିଛି । ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଏହି ଶକ୍ତିଶାଳୀ ରକେଟ୍ ମହାକାଶକୁ ଉତକ୍ଷେପଣ କରାଯାଇଛି ।
୧୦ ଦିନର ରୋମାଞ୍ଚକର ଯାତ୍ରା
ଏହି ଅଭିଯାନର ବିଶେଷତ୍ୱ ହେଉଛି ଯେ, ଏଥିରେ ଥିବା ୪ ଜଣ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ନାହିଁ । ତେବେ ୧୦ ଦିନ ଧରି ଚାଲିବାକୁ ଥିବା ଏହି ମିଶନ୍ରେ ସେମାନେ ଚନ୍ଦ୍ରର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରିବେ । ଏହି ପ୍ରକ୍ରିୟାରେ ମହାକାଶଚାରୀମାନେ ପୃଥିବୀଠାରୁ ଏତେ ଦୂରକୁ ଯିବେ, ଯେଉଁଠାକୁ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ଯାଇନାହାନ୍ତି ।
୪ ଜଣିଆ ଦଳରେ କିଏ ଅଛନ୍ତି ?
ଏହି ଐତିହାସିକ ଯାତ୍ରାରେ ତିନିଜଣ ଆମେରିକୀୟ ଏବଂ ଜଣେ କାନାଡିୟ ମହାକାଶଚାରୀ ସାମିଲ ଅଛନ୍ତି। ସେମାନେ ହେଲେ:
* ରିଡ୍ ୱାଇଜମ୍ୟାନ୍
* କ୍ରିଷ୍ଟିନ କୋଚ୍
* ଭିକ୍ଟର ଗ୍ଲୋଭର
* ଜେରେମି ହେନସେନ୍ (କାନାଡା)
ଚନ୍ଦ୍ରରେ ‘ବେସ୍’ ବନାଇବା ଲକ୍ଷ୍ୟ
ଆର୍ଟେମିସ୍ କାର୍ଯ୍ୟକ୍ରମ କେବଳ ଏକ ଯାତ୍ରା ନୁହେଁ, ବରଂ ଭବିଷ୍ୟତରେ ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ପାଇଁ ଏକ ସ୍ଥାୟୀ ‘ବେସ୍’ ବା ଆସ୍ଥାନ ତିଆରି କରିବା ପାଇଁ ଏହା ପଥ ପରିଷ୍କାର କରିବ । ଏହି ପ୍ରକଳ୍ପ ପାଇଁ ନାସା ବହୁ ବର୍ଷ ଧରି ପରିଶ୍ରମ କରିଛି ଏବଂ ଏଥିରେ ପ୍ରାୟ ୯୩ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି ।
ଆପୋଲୋ ମିଶନ୍ଠାରୁ କିପରି ଅଲଗା ?
ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ୫୦ ବର୍ଷ ପୂର୍ବେ ‘ଅପୋଲୋ’ ମିଶନ୍ ଜରିଆରେ ମଣିଷ ଚନ୍ଦ୍ରରେ ପାଦ ଦେଇସାରିଛି, ତେବେ ଏଥିରେ ନୂଆ କ’ଣ ଅଛି ? ବିଶେଷଜ୍ଞଙ୍କ ଅନୁଯାୟୀ, ଆପୋଲୋ ମିଶନର ଲକ୍ଷ୍ୟ କେବଳ ଚନ୍ଦ୍ରରେ ପହଞ୍ଚିବା ଥିଲା, କିନ୍ତୁ ଆର୍ଟେମିସ୍ ଅଭିଯାନର ଲକ୍ଷ୍ୟ ହେଉଛି ସେଠାରେ ଦୀର୍ଘ ସମୟ ଧରି ମଣିଷର ଉପସ୍ଥିତି ଜାହିର କରିବା ଏବଂ ପରବର୍ତ୍ତୀ ସମୟରେ ମଙ୍ଗଳ ଗ୍ରହ ଅଭିଯାନ ପାଇଁ ନୂତନ ଜ୍ଞାନକୌଶଳ ପରୀକ୍ଷା କରିବା ।
ମହାକାଶ ଗବେଷଣା କ୍ଷେତ୍ରରେ ଏହି ଅଭିଯାନ ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି ।